#🙏ଜୟ ମା ଦୁର୍ଗା #🙏🏼ଜୟ ମା ଦୁର୍ଗା 🙏🏼 #ଜୟ ମା ଦୁର୍ଗା 🌺🔱🙏
ଜୟ ଜୟ ଦୁର୍ଗା ମାଗୋ ସଙ୍କଟ ତାରିଣୀ ।
ଦୁଷ୍ଟ ଦୈତ୍ୟ ନାଶକରି ରଖିଲ ଧରଣୀ ।।
ଦେବତାଙ୍କୁ ରଖିଣ ଯେ ଭକ୍ଷିଲ ଅସୁର ।
ଭକ୍ଷକ ଭକ୍ଷିଣୀ ନାମ ଅଟେ ଯେ ତୁମ୍ଭର ।।
ସ୍ଥାବର ଜଙ୍ଗମ କୀଟ ଆଦି ଚାରିଖାନୀ ।
ତୁମ୍ଭର ଅଙ୍ଗରୁ ଜାତ ହେଲେ ରୂପ ଘେନି ।।
ତେଣୁକରି ତୋର ନାମ ଅଟଇ ଅରୂପା ।
ପାଇଲୁ ପରମ ଗତି ଜପିଣ ଅଜପା ।।
ପ୍ରଥମରେ ଦୁର୍ଗାଦେବୀ ଦ୍ବିତୀୟରେ ଉମା ।
ଅନନ୍ତ ନାମ ତୋହର ଅପାର ମହିମା ।।
ସନ୍ଥଜନମାନଙ୍କୁ ଯେ ତୋହର ସଦୟେ ।
ଯେସନେ ବାଳୁତ ପୁତ୍ର ଗର୍ଭ ଧରି ମାଏ ।।
ତୃତୀୟେ କାତ୍ୟାୟନୀ ଚତୁର୍ଥେ ନାରାୟଣୀ ।
ପଞ୍ଚମେ ହୋଇଲୁ ମାଗୋ ଶିବର ଘରଣୀ ।।
ଷଷ୍ଠରେ କୌମାରୀ ନାମ ସପ୍ତମେ କାଳିକା ।
ଅଷ୍ଟମରେ ଜୟଚଣ୍ଡୀ ନବମେ ଅମ୍ବିକା ।।
ଦଶମେ ବ୍ରହ୍ମାୟଣୀ ଏକାଦଶରେ ପାର୍ବତୀ ।
ଦ୍ବାଦଶରେ ଯୋଗ୍ନି ତ୍ରୟୋଦଶେ ଭଗବତୀ ।।
ଚତୁର୍ଦ୍ଦଶେ ତ୍ରିପୁରା ପଞ୍ଚଦଶରେ ମଙ୍ଗଳା ।
ଷୋଡ଼ଶେ କୁମାରୀ ତୁ ସୁରୂପେ ଅବଳା ।।
ସତ୍ଯ ସପ୍ତଦଶ ଅଷ୍ଟାଦଶରେ ବଗଲା ।
ସହସ୍ରେକ ନାମ ତୋର ଅଟେ ମହାମାୟୀ ।।
ଦେବଗଣ ଶ୍ରଦ୍ଧା ଭରେ ଥିଲେ ପରା ଦେଇ ।
ଏଥୁଅନ୍ତେ ସ୍ତୁତି ଯେ କରନ୍ତି ରାମରାୟ ।।
ଜୟ ତୁ ଦୁର୍ଗା ମାଗୋ ଅନାଦି ଶୁଭକାୟ ।
ନମସ୍ତେ କାତ୍ୟାୟନୀ ଅନାଦୀ ମାହେଶ୍ଵରୀ ।।
ସତ୍ୟଯୁଗରେ ମହିଷାସୁର ଦର୍ପହାରି ।
କାଳି ଯେ କରାଳି ମାଗୋ ଅଟୁ ବିକରାଳୀ।।
ଶିରରେ ସିନ୍ଦୁର ମାଗୋ ହସ୍ତେ ଜପାମାଳି ।
ହରଙ୍କ ଘରଣୀ ମାଗୋ କୈଳାସ ମଣ୍ଡଣୀ ।।
ବିନ୍ଧ୍ୟଗିରି ବାସିନୀ ଦୂରିତ ନିବାରଣୀ ।
ଅନନ୍ତ କୋଟି ବ୍ରହ୍ମାଣ୍ଡ ଅସୁର ମାଇଲୁ ।।
ଚଉଦ ବ୍ରହ୍ମାଣ୍ଡେ ମହାମାୟୀ ବୋଲାଇଲୁ ।
ସୁରାପାନରେ ଯେ ତୁମ୍ଭେ ହୋଇ ମତଭୋଳ ।।
ରଣରଙ୍ଗ ସ୍ଥଳେ ମାଗୋ କ୍ରିଡ଼ା ଗତି ତୋର ।
ଅଯୋଧ୍ୟା ରାଜନ ଦଶରତ ନରପତି ।
ତାହାର ତନୟ ମୁଁ ଗୋ ଅଟେ ଦାଶରଥୀ ।।
ରାଜ୍ୟ ତେଜି ମୁହିଁ ମାଗୋ ହୋଇ ବନବାସୀ ।
ବଇଦେହୀ ହରାଇଣ ହୋଇଲି ଝିଙ୍ଗାସୀ ।।
ସାଗରକୁ ବାନ୍ଧିଲି ମୁଁ ରକ୍ଷବଳ ଘେନି ।
ସୁବଳୟାରେ ରହିଲି ସ୍ୱର୍ଣ୍ଣ ଲଙ୍କା ଜିଣି ।।
କିସ୍କିନ୍ଦା ରାଜନ ଯେ ମୋହର ଦୁଃଖ ଦେଖି ।
ଋକ୍ଷବଳ ଘେନି ମାଗୋ ସାହା ହେଲେ ଆସି ।।
ନାଗଫାଶ ବନ୍ଧନରେ ପଡ଼ିଅଛି ମୁହିଁ ।
ଏଥୁ ତ୍ରାହିକର ମୋତେ ଦେବୀ ମହାମାୟୀ ।।
ଦେବତାମାନେ ଖଟନ୍ତି ଯାର ଭୃତ୍ୟପଣେ ।
ମୁଁ କିସ ଯୁଦ୍ଧ କରିବି ବଳବୀର୍ଯ୍ୟ ହୀନେ ।।
ନର ବାନରକୁ ମାଗୋ ସଙ୍ଗତରେ ଘେନି ।
ନଜାଣିଲା ଯୁଦ୍ଧ ମାଗୋ ଆରମ୍ଭିଲି ଆଣି ।।
ତୋତେ ସୁମରଣା ଯେ କରଇ ଶଚୀପତି ।
ସ୍ଵର୍ଗପୁର ସମ୍ପଦେ ଗୋ ସୁଖେ ବିଳସନ୍ତି ।।
ତୋତେ ସୁମରଣା ମାଗୋ କରନ୍ତି କୁବେର ।
ଧନପତି ପଣେ ମାଗୋ ବିଖ୍ୟାତ ସଂସାର ।।
ବିଷ୍ଣୁଙ୍କର ପୁରେ ମାଗୋ ନାମ ସରସ୍ବତୀ ।
ଈଶ୍ବରଙ୍କ ଘରେ ମାଗୋ ବୋଲାଉ ପାର୍ବତୀ ।।
ଏକ ହସ୍ତେ ଖର୍ପର ମା ’ ଅନ୍ୟ ହସ୍ତେ ଖଣ୍ଡା ।
ଅନର୍ଗଳ ତେଜ ମାଗୋ ସିଦ୍ଧି ପରଚଣ୍ଡା ।।
ମନ୍ଦାର ଫୁଲରେ ତୋର ଭୂଷଣ ଶରୀର ।
ବାହୁରେ ତାଡ଼ ତୋହର ଚରଣେ ନୁପୁର ।।
ଏମନ୍ତ ଦିବ୍ୟ ରୂପକୁ ଧରିଣ ଗିରିଜା ।
ବିଷ୍ଣୁରୂପେ ମୋହିଲୁ ସମସ୍ତ ଜନପ୍ରଜା ।।
ସଙ୍କଟ ତାରିଣୀ ମାତ ଉଦ୍ଧାରିବ ମୋତେ ।
ବିପତ୍ତି କାଳରେ ମାତ ଡ଼ାକୁଅଛି ତୋତେ ।।
ଅଗମ୍ୟାଗଡ଼ର ନାମ ଜଗତେ ବିଖ୍ୟାତ ।
ଅମର ବର ପାଇଛି ବିଶ୍ରବାର ସୁତ ।।
ଅଠର ଗଣ୍ଡା କୁମର ତେରଶହ ନାତି ।
ପାଞ୍ଚଶତ କୋଟିବଳ ଅସଂଖ୍ୟଅଟନ୍ତି ।।
ଚଉଦ ଭୁବନ ମଧ୍ୟେ ଅଟେ ନୃପବର ।
କ୍ଷତ୍ରିୟମାନଙ୍କ ପରେ ଅଟେ ବୀରବର ।।
ନର ଯେ ବାନର ମାଗୋ ତାର ଭକ୍ଷପାନ ।
କି ବୁଦ୍ଧି କରିବି ମାଗୋ ବଳବପୁହୀନ ।।
ଏମନ୍ତ ଅନେକ ସ୍ତୁତିକଲେ ଦାଶରଥି ।
ପ୍ରସନ୍ନ ହୋଇଲେ ତାଙ୍କୁ ମା ଦୁର୍ଗା ପାର୍ବତୀ ।।
ଶ୍ରୀରାମ ସମୀପରେ ବିଜେକଲେ ଯାଇ ।
ସିଂହର ପୃଷ୍ଠରେ ଚଢ଼ି ଡ଼ମ୍ବରୁ ବଜାଇ ।।
କିମ୍ପାଇଁରେ ବାଳବତ୍ସ ଚିନ୍ତାକଲୁ ମୋତେ ।
କିବା ତୋର ଅଭିଳାଷ କୁହ ମୋ ଅଗ୍ରତେ ।।
ଚେତିଣ ଶ୍ରୀରାମଚନ୍ଦ୍ର ବୋଲୁଛନ୍ତି ବାଣୀ ।
ଶୁଣ ଗୋ ମାତ ହିମବନ୍ତର ଦୁଲ୍ଲଣୀ ।।
ଜଗତରେ ମୋର ଦୁଃଖ କଳନା ନଯାଇ ।
ମୋହଠାରୁ ଦୁଃଖୀ ମାଗୋ ଅନ୍ୟ କେହି ନାହିଁ ।।
ରାଜପୁତ୍ର ହୋଇ ମାଗୋ ବନବାସ କଲି ।
କନ୍ଦମୂଳ ଫଳେ ମୁହିଁ ଉଦର ପୋଷିଲି ।।
ତୀରଣ ଶଯ୍ୟରେ ମୁହିଁ କାଟୁଥିଲି ଦିନ ।
ପୁଣି ହିଁ ବିଧାତା ଆଣି ଦେଲା ଏ କଷଣ ।।
ଅରଣ୍ୟ ଶୁଣିଲି ମାଗୋ ପିତା ଗଲେ ନାଶ ।
ନିକ୍ଷତ୍ରୀ ହୋଇଲା ମୋର ଅଯୋଧ୍ୟା ପ୍ରଦେଶ ।।
ଭରତ ରାଜ୍ୟରେ ମାଗୋ ନୃପତି ନୋହିଲା ।
ମୋତେ ଦେବ ବୋଲି ଭାବି ବନକୁ ଅଇଲା ।।
ପିତା ସତ୍ୟ ପାଳି ମୁହିଁ ରାଜ୍ୟକୁ ନଗଲି ।
ଗୋଦାବରୀ ନଦୀତଟେ ବାସ କରିଥିଲି ।।
ଏମନ୍ତ କଷ୍ଟରେ ମୁହିଁ ବଞ୍ଚିଗଲି ଦିନ ।
ସୂର୍ପଣଖାର ଆଦେଶେ ପ୍ରବେଶି ରାବଣ ।।
ମାୟାବି ଦୈତ୍ୟ କୁରଙ୍ଗୀ ରୂପକୁ ଦେଖାଇ ।
ସୁବର୍ଣ୍ଣ ଜଡ଼ିତ ତାର ହୋଇଥିଲା ଦେହୀ ।।
ଶ୍ରଦ୍ଧାଭରେ ସୀତା ବୋଲେ କୁରଙ୍ଗୀକୁ ଆଣ ।
ତତକ୍ଷଣେ ଗଲି ମାଗୋ ଧରି ଧନୁର୍ବାଣ ।।
ଏଣୁ ବାଣ ବିନ୍ଧନ୍ତେ ଲକ୍ଷ୍ମଣ ଡ଼ାକ ଦେଲା ।
ଏକାକୀ ଦେଖି ରାବଣ ସୀତାଙ୍କୁ ଯେ ନେଲା ।।
ଜଟାୟୁ ଓ ହନୁମାନ ବାରତା ଯେ ଦେଲେ ।
ସମସ୍ତ ବୃତ୍ତାନ୍ତମାନ ମୋତେ ସେ କହିଲେ ।।
ଇନ୍ଦ୍ରଜିତ ନାମେ ତାର ଅଟଇ କୁମର ।
ସ୍ଵର୍ଗପୁରେ ପଶିଣଜିଣିଲା ବଜ୍ରଧର ।।
ଦେବ ଦଳନ ରଥରେ ଚଢ଼ି ତିନିପୁରୀ ।
ସେ ମୋତେ ପେଶିଲା ମାଗୋ ନାଗଫାଶ ଶର ।।
ନାଗଙ୍କର ଜ୍ବାଳା ମାଗୋ ସହି ନପାରିଲି ।
ତେଣୁକରି ମୁହିଁ ମାଗୋ ତୋତେ ଆଶ୍ରାକଲି ।।
ଏ ଘୋର ଦୁସ୍ତରୁ ମାଗୋ ପାରିକର ମୋତେ ।
ଏବେ ଗୋ ତୁମ୍ଭର ଯଶ ରହିବ ଜଗତେ ।।
ଆତଙ୍କ ନାଶିନୀ ବାରେ ମୋତେ ଦୟାକର ।
ଏହି ବର ଆଜ୍ଞା ହେଉ ଶ୍ରୀମୁଖେ ତୁମ୍ଭର ।।
ରାବଣକୁ ମାରିଣ ସୀତାଙ୍କୁ ଘେନି ଯିବି ।
ଅଯୋଧ୍ୟା ରାଜ୍ୟରେ ଯାଇ ଅଭିଷେକ ହେବି ।।
ଏହାଶୁଣି ପ୍ରସନ୍ନ ହୋଇଲେ ମହାମାୟୀ ।
ଅସ୍ତୁବୋଲି ମହାମାୟୀ ରାମେ ଆଜ୍ଞା ଦେଇ ।।
ଗରୁଡ଼କୁ ମନେ ମନେ ସୁମରିଲେ ରାମ ।
ରମ୍ୟକ ଦ୍ବୀପରୁ ଜାଣି ବିଷ୍ଣୁଙ୍କ ବାହନ ।।
ଗରୁଡ଼ ଗମନ୍ତେ ନାଗମାନେ ପଳାଇଲେ ।
ଶ୍ରୀରାମ ଲକ୍ଷ୍ମଣ ବେନି ବନ୍ଧନୁ ଫିଟିଲେ ।।
ତୁମ୍ଭର ଚରଣେ ମାଗୋ ଥାଉ ମୋର ଚିତ୍ତ ।
କହେ ଦୀନ ବଳରାମ ଭକ୍ତ ଆଦିମାତ ।।